କଟକ : ଏଣିକି ବସ୍ କର୍ମଚାରୀ ଯାତ୍ରୀଙ୍କ ମଧ୍ୟରେ ପାତରଅନ୍ତର କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ରେ ଚଢ଼ିବାକୁ ବାରଣ ଭଳି କୁ-ସଂସ୍କାର, ଅନ୍ଧବିଶ୍ୱାସ ଏବେ ବି ପ୍ରଚଳନ ଥିବାରୁ ଏହା ବିରୋଧରେ ଦୃଢ଼ ପଦକ୍ଷେପ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ କଟକ ନେତାଜୀ ବସ୍ ଟର୍ମିନାଲରେ ମାରାଥନ୍ ଯାଞ୍ଚ କରାଯାଇଛି। ଆଗକୁ ରାଜ୍ୟର ସମସ୍ତ ବସ୍ଷ୍ଟାଣ୍ଡରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ନିଷ୍ପତ୍ତି ହୋଇଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ଏସ୍ଟିଏ ସଚିବ ଚିନ୍ମୟୀ ବିଶ୍ୱାଳ, ଉପ-ପରିବହନ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖ ସ୍ୱତନ୍ତ୍ର ଟିମ୍ ସହ କଟକ ବସ୍ଷ୍ଟାଣ୍ଡରେ ପହଞ୍ଚିଥିଲେ। ଯାତ୍ରୀଙ୍କୁ ନେବାକୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ରୁଟ୍ର ୨୦ରୁ ଅଧିକ ବସ୍ ଉପରେ ନଜର ରଖିଥିଲେ। ପ୍ରଥମେ ଆସୁଥିବା ମହିଳା ଯାତ୍ରୀଙ୍କ ପ୍ରତି ବସ୍ କର୍ମଚାରୀଙ୍କ କିଭଳି ବ୍ୟବହାର ରହୁଛି, ତାହା ଦେଖିଥିଲେ। ଏହାସହ ଟର୍ମିନାଲରେ ଥିବା ଅନେକ ମହିଳା ଯାତ୍ରୀଙ୍କଠାରୁ ଏ ସଂକ୍ରାନ୍ତରେ ପଚାରି ବୁଝିଥିଲେ। ମୋଟର ଯାନ ଆଇନ ଅନୁଯାୟୀ, ଯାତ୍ରୀଙ୍କ ମଧ୍ୟରେ ପାତରଅନ୍ତର କରାଯିବା ଦଣ୍ଡନୀୟ ଅପରାଧ।