ଆମ ଦେଶ ପାଇଁ ସବୁବେଳେ ସୀମାରେ ସଜାଗ ରୁହନ୍ତି ଆମ ଯବାନ। ସେମାନଙ୍କ ସୁରକ୍ଷା ପାଇଁ ହିଁ ଆମେ ଶାନ୍ତିରେ ନିଜ ଘରେ ସୋଇପାରୁଛୁ। ଆଉ ସେଇ ଯବାନଙ୍କ ଜୀବନ ଆମ ପାଇଁ ବି ବହୁତ ମୂଲ୍ୟବାନ। ସୀମାରେ ହେଉ କିମ୍ବା ଯୁଦ୍ଧରେ ଯେତେବେଳେ ଜଣେ ବୀର ପୁଅ ନିଜର ଜୀବନ ଉତ୍ସର୍ଗୀକୃତ କରିଦିଏ ସେତେବେଳେ ସାରା ଭାରତୀୟଙ୍କ ଆଖିରୁ ଲୁହ ଝରେ। ସେଥିପାଇଁ ସେମାନଙ୍କ ସୁରକ୍ଷାକୁ ଆହୁରି ଅଧିକ କରିବା ପାଇଁ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଜାକେଟ୍ ପ୍ରସ୍ତୁତ କରିଛି କାନପୁର ଡିଆରଡିଓ । ଏହି ଜାକେଟରେ ୬ ଟି ଗୁଳି ବାଜିଲେ ମଧ୍ୟ କିଛ କ୍ଷତି ହେବ ନାହିଁ । ଜାକେଟର ଓଜନ ହାଲୁକା ଥିବା ବେଳେ ସ୍ୱତନ୍ତ୍ର ଉପାଦାନରେ ପ୍ରସ୍ତୁତ କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ବୁଲେଟ ପ୍ରୁଫ୍ ଜାକେଟର ପରୀକ୍ଷଣ ମଧ୍ୟ ଶେଷ ହୋଇଛି । ଚଣ୍ଡିଗଡ଼ରେ ଥିବା ଟର୍ମିନାଲ ବାଲାଷ୍ଟିକ ରିସର୍ଚ୍ଚ ଲାବ୍ରୋଟାରୀ(ଟିବିଆରଏଲ)ରେ ଏହି ବୁଲେଟପ୍ରୁଫ୍ ଜାକେଟର ସଫଳ ପରୀକ୍ଷଣ କରାଯାଇଛି । ଜାକେଟରେ ୭ ଦଶମିକ ୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି ।